ସୁନ୍ଦରଗଡ଼ରେ ଶେୟାର ବ୍ୟବସାୟ ନାମରେ ବିଶାଳ ଠକେଇ: ୪୦ କୋଟିରୁ ଅଧିକ ଟଙ୍କା ହଡ଼ପ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଏକ ବଡ଼ ଧରଣର ଆର୍ଥିକ ଠକେଇ ଘଟଣା ପ୍ରକାଶ ପାଇଛି। ଜଣେ ଯୁବକ ଶେୟାର ବ୍ୟବସାୟରେ ବିନିଯୋଗ କରି ଏକ ମାସ ମଧ୍ୟରେ ଦ୍ୱିଗୁଣିତ ଲାଭ ଦେବାର ଲୋଭନୀୟ ପ୍ରତିଶ୍ରୁତି ଦେଇ ୪୦ କୋଟି ଟଙ୍କାରୁ ଅଧିକ ଅର୍ଥ ଠକେଇ କରିଥିବା ଅଭିଯୋଗ ହୋଇଛି। ଏହି ଠକେଇର ଶିକାର ହୋଇଛନ୍ତି ଡାକ୍ତର, ସରକାରୀ ଅଧିକାରୀ, ରାଜନେତା, ହୋଟେଲ ମାଲିକ ଏବଂ ଶିଳ୍ପପତିମାନେ।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଟାଉନ ଥାନା ଅଧୀନସ୍ଥ ନିରଞ୍ଜନ ନଗରର ଜଣେ ଯୁବକ ଶେୟାର ବ୍ୟବସାୟରେ ବିନିଯୋଗ କରି ବିପୁଳ ଲାଭର ଆଶ୍ୱାସନା ଦେଇ ଲୋକଙ୍କୁ ଆକୃଷ୍ଟ କରିଥିଲେ। ପ୍ରାରମ୍ଭରେ ସେ କିଛି ବିନିଯୋଗକାରୀଙ୍କୁ ଛୋଟ ଛୋଟ ଲାଭ ଫେରାଇ ବିଶ୍ୱାସ ଅର୍ଜନ କରିଥିଲେ। ଏହା ପରେ ତାଙ୍କର ଖ୍ୟାତି ବଢ଼ିବାରୁ ଅନେକ ପ୍ରଭାବଶାଳୀ ବ୍ୟକ୍ତି ତାଙ୍କ ଜାଲରେ ପଡ଼ି ବଡ଼ ଧରଣର ଅର୍ଥ ବିନିଯୋଗ କରିଥିଲେ।

କିନ୍ତୁ ପ୍ରତିଶ୍ରୁତ ଲାଭ ମିଳିବା ବନ୍ଦ ହେବା ପରେ ବିନିଯୋଗକାରୀଙ୍କ ମନରେ ସନ୍ଦେହ ଜାଗିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ବିଭିନ୍ନ ବ୍ୟକ୍ତିଙ୍କଠାରୁ ୪୦ କୋଟି ଟଙ୍କାରୁ ଅଧିକ ଅର୍ଥ ସଂଗ୍ରହ କରିଛନ୍ତି। ଏକ ପର୍ଯ୍ୟାୟରେ ସେ ଦାବି କରିଥିଲେ ଯେ, ବିନିଯୋଗ କରାଯାଇଥିବା ଅର୍ଥ ମୁମ୍ବାଇର ଏକ କମ୍ପାନୀରେ ଅଟକି ରହିଛି। ଏପରିକି ସେ କିଛି ବିନିଯୋଗକାରୀଙ୍କୁ ମୁମ୍ବାଇ ମଧ୍ୟ ନେଇଯାଇଥିଲେ, କିନ୍ତୁ ସେଠାରେ କୌଣସି କମ୍ପାନୀର ଅସ୍ତିତ୍ୱ ମିଳିନଥିଲା। ପ୍ରଶ୍ନ ଉଠିବା ପରେ ଅଭିଯୁକ୍ତ ଆଗାମୀ ଦୁଇ ବର୍ଷ ମଧ୍ୟରେ ମାସିକ କିସ୍ତିରେ ଅର୍ଥ ଫେରାଇବେ ବୋଲି ଆଶ୍ୱାସନା ଦେଇଥିଲେ।

କିନ୍ତୁ ଗତ ୧୫ ଦିନ ହେବ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଛନ୍ତି ଏବଂ ତାଙ୍କ ସହ ଯୋଗାଯୋଗ କରାଯାଇ ପାରୁନାହିଁ। ବାଧ୍ୟ ହୋଇ ବିନିଯୋଗକାରୀମାନେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି ଏବଂ ଫେରାର ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରଖିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆର୍ଥିକ ସୁରକ୍ଷା ଓ ବିନିଯୋଗ ସମ୍ପର୍କିତ ସତର୍କତା ଉପରେ ଆଲୋଚନା ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *