ସମ୍ବଲପୁରର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନ (ଭିମସାର)ରେ ଏକ ଗମ୍ଭୀର ରାଗିଂ ଘଟଣା ସାମ୍ନାକୁ ଆସିଛି। ଝାରସୁଗୁଡ଼ାର ଜଣେ ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ର ଗତ ଏକ ମାସ ଧରି ସ୍ନାତକୋତ୍ତର ଦ୍ୱିତୀୟ ବର୍ଷର ଜଣେ ବରିଷ୍ଠ ଛାତ୍ରଙ୍କ ଦ୍ୱାରା ନାନାଦି ହଇରାଣ ଓ ମାନସିକ ନିର୍ଯାତନାର ଶିକାର ହୋଇଛନ୍ତି।
ଘଟଣା ଅନୁସାରେ, ଭିମସାର କ୍ୟାଣ୍ଟିନରେ ଖାଦ୍ୟ ଗ୍ରହଣ ସମୟରେ ନିଶାସକ୍ତ ଅବସ୍ଥାରେ ଥିବା ବରିଷ୍ଠ ଛାତ୍ର ଜଣଙ୍କ କନିଷ୍ଠ ଛାତ୍ରଙ୍କୁ ଛୁରି ଦେଖାଇ ଭୟଭୀତ କରିଥିଲେ। ଛାତ୍ରଙ୍କ ପଳାୟନ ଚେଷ୍ଟା ସତ୍ତ୍ୱେ, ଅଭିଯୁକ୍ତ ତାଙ୍କୁ ଛୁରି ଧରି ଗୋଡ଼ାଇଥିଲେ। କୌଶଳକ୍ରମେ କନିଷ୍ଠ ଛାତ୍ର ଏହି ଭୟଙ୍କର ପରିସ୍ଥିତିରୁ ମୁକୁଳି ପାରିଥିଲେ। ଏହା ପରେ ଗୁରୁବାର ଦିନ ପୀଡ଼ିତ ଛାତ୍ର ଭିମସାରର ଆଣ୍ଟି ରାଗିଂ ସେଲରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି।
ଭିମସାର ଡିନ ଡା. ପ୍ରଦୀପ କୁମାର ମହାନ୍ତି ଏକ ସବ୍-କମିଟି ଗଠନ କରି ଘଟଣାର ନିଷ୍ପକ୍ଷ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିବା ଅଭିଯୋଗକାରୀ ପକ୍ଷରୁ ଦାବି କରାଯାଇଛି। ତେବେ ଡା. ମହାନ୍ତିଙ୍କ ମୋବାଇଲ ନମ୍ବର (୯୪୩୯୯୯୦୨୪୨)ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ, ରିଂ ହେବା ସତ୍ତ୍ୱେ ସେ ଫୋନ ଉଠାଇ ନ ଥିବା ଜଣାପଡ଼ିଛି।
ଏହି ଘଟଣା ପ୍ରତିଷ୍ଠାନରେ ରାଗିଂ ବିରୋଧୀ ନୀତିର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି। ପୀଡ଼ିତ ଛାତ୍ରଙ୍କ ସୁରକ୍ଷା ଓ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ତଦନ୍ତ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି।