ବରଗଡ଼: କୋଶଳ ଆନ୍ଦୋଳନକାରୀଙ୍କୁ ପୋଲିସ ହେପାଜତରେ! ହସ୍ପିଟାଲରେ ମଧ୍ୟ ଜାରି ରହିଛି ଅନଶନ

ବରଗଡ଼:  ୨୨ ତାରିଖଠାରୁ କୋଶଳ ଆନ୍ଦୋଳନକାରୀ ସୁଶାନ୍ତ ମିଶ୍ର, ଅଭିଷେକ ନାୟକ ଏବଂ ବିଷ୍ଣୁ ସମ୍ବଲପୁରିଆ ବରଗଡ଼ ବୀର ଚୌକରେ ପୃଥକ କୋଶଳ ରାଜ୍ୟ ଦାବିରେ ଅନିର୍ଦ୍ଦିଷ୍ଟ ଅନଶନରେ ବସିଥିଲେ। ଅନ୍ୟ ଆନ୍ଦୋଳନକାରୀମାନେ ମଧ୍ୟ ସେମାନଙ୍କୁ ସମର୍ଥନ ଜଣାଇଥିଲେ।  ବରଗଡ଼ର ହଳଦୀପାଲି ଚୌକରେ କୋଶଳ କ୍ରାନ୍ତି ସେନାର ସଦସ୍ୟମାନେ ପୃଥକ କୋଶଳ ରାଜ୍ୟ ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଥିଲେ। କିନ୍ତୁ ପ୍ରଶାସନ ତାଙ୍କ ଦାବିକୁ ଗୁରୁତ୍ୱ ନ ଦେଇ ଆଲୋଚନା ପାଇଁ ଆଗେଇ ନ ଆସିବା ସହ ପୋଲିସ ଦମନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଭିଯୋଗ ହୋଇଛି। ପ୍ରଦାରବିନ ତ୍ରିପାଠୀଙ୍କ ନେତୃତ୍ୱରେ ଟାଉନ ପୋଲିସ ଓ ସଦର ପୋଲିସ ଆନ୍ଦୋଳନ ସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ଜୋର ଜବରଦସ୍ତ ପୋଲିସ ଭ୍ୟାନରେ ଚଢ଼ାଇ ଖଡ଼ପାଲି ହସ୍ପିଟାଲକୁ ନେଇଥିଲେ।

ଗୁରୁବାର ରାତିରେ ବରଗଡ଼ ବୀର ଚୌକରେ ଗତ ତିନି ଦିନ ଧରି ଅନଶନରେ ଥିବା କୋଶଳ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସୂଚନା ଅନୁଯାୟୀ, ଏସଡିପିଓ ଏବଂ ଅନ୍ୟ ଅଧିକାରୀମାନେ କୌଣସି ଆଲୋଚନା ନକରି ବିକ୍ଷୋଭକାରୀଙ୍କୁ ଧକ୍କାମାରି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥାଇ ମଧ୍ୟ ଆନ୍ଦୋଳନକାରୀମାନେ ନିଜର ଅନଶନ ଜାରି ରଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅନଶନରତ ଜଣେ ଆନ୍ଦୋଳନକାରୀ ଅଭିଷେକ ନାୟକ ଅଭିଯୋଗ କରିଛନ୍ତି ଯେ ପୋଲିସ ତାଙ୍କୁ ଧକ୍କା ମାରି, ଗାଳିଗୁଲଜ କରି ଏବଂ ଜୋରରେ ଗାଡ଼ିରେ ଟାଣି ନେଇଥିଲା।

ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, କଂଗ୍ରେସ ଜିଲ୍ଲା ସଭାପତି ହରଦୀପ ସିଂ, କଳାକାର ମନୋଜ ମିଶ୍ର, କୃଷକ ନେତା ରମେଶ ମହାପାତ୍ର ଏବଂ ଅନ୍ୟାନ୍ୟ ବିଶିଷ୍ଟ ବୁଦ୍ଧିଜୀବୀମାନେ ଏହି ଆନ୍ଦୋଳନକୁ ସମର୍ଥନ କରିଥିଲେ। ତଥାପି, ପ୍ରଶାସନର କୌଣସି ଅଧିକାରୀ ଆନ୍ଦୋଳନ ସ୍ଥଳକୁ ଯାଇ ନଥିଲେ। ଗଭୀର ରାତିରେ ସୁଯୋଗ ନେଇ ପୋଲିସ କୋଶଳ ଆନ୍ଦୋଳନକାରୀଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଥିଲା, ଯାହା ଜନସାଧାରଣଙ୍କ ମଧ୍ୟରେ ତୀବ୍ର ସମାଲୋଚନାର କାରଣ ହୋଇଛି।

ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ଯେ ସେମାନଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନଶନ ଓ ଆନ୍ଦୋଳନ ଜାରି ରହିବ।

Leave a Reply

Your email address will not be published. Required fields are marked *