ବରଗଡ଼, ୨୫ ଏପ୍ରିଲ ୨୦୨୫: ବରଗଡ଼ ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ନାମରେ ଚାଲିଥିବା ଛତୁଆ ବ୍ୟବସାୟରେ ବିଜେଡି ସମର୍ଥିତ ଠିକାଦାରମାନେ ନିମ୍ନ ମାନର ଛତୁଆ ଯୋଗାଣ କରି କୋଟି କୋଟି ଟଙ୍କା ହଡ଼ପ କରୁଥିବା ଗମ୍ଭୀର ଅଭିଯୋଗ ଆଣିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ଏହି ଅଭିଯୋଗ ସାଂସଦ ପୁରୋହିତ ଜିଲ୍ଲା ଉନ୍ନୟନ ସଂଯୋଜନା ଓ ଅନୁଧ୍ୟାନ କମିଟି (DISHA) ବୈଠକରେ ଉଠାଇଛନ୍ତି।
ସାଂସଦ ପୁରୋହିତ କହିଛନ୍ତି ଯେ, SHG ଗୋଷ୍ଠୀ ନାମରେ ବିଜେଡି ସମର୍ଥିତ ଠିକାଦାରମାନେ ଅଙ୍ଗନବାଡ଼ି ଓ ଅନ୍ୟ ସରକାରୀ କାର୍ଯ୍ୟକ୍ରମ ପାଇଁ ଯୋଗାଣ ହେଉଥିବା ଛତୁଆର ମାନ ଅତ୍ୟନ୍ତ ନିମ୍ନ। ଏହି ଛତୁଆ ଖାଇବା ଯୋଗ୍ୟ ନୁହେ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଏହି ନିମ୍ନମାନର ଛତୁଆ ଯୋଗାଣ କରି ଠିକାଦାରମାନେ କୋଟି କୋଟି ଟଙ୍କା ହାତେଇ ନେଉଛନ୍ତି, କିନ୍ତୁ ଏ ନେଇ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ହେଉନାହିଁ।
DISHA ବୈଠକରେ ସାଂସଦ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ (DSWO)ଙ୍କୁ ଛତୁଆର ନମୁନା ଦେଖାଇ ଏହାର ଗୁଣବତ୍ତା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଏହି ନିମ୍ନମାନର ଛତୁଆ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ପିଲାମାନଙ୍କୁ ଖାଇବା ପାଇଁ ଦିଆଯାଉଛି, ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ। ସାଂସଦ ଏହାକୁ ଏକ ବଡ଼ ଦୁର୍ନୀତି ବୋଲି ଅଭିହିତ କରି ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ଲୋକମାନେ ଏହାକୁ ଗରିବ ପିଲାମାନଙ୍କ ସ୍ୱାସ୍ଥ୍ୟ ସହ ଖେଳବାଡ଼ ବୋଲି କହିଛନ୍ତି। ଏବେ ଦେଖିବାର କଥା ଯେ, ଏହି ଅଭିଯୋଗ ଆଧାରରେ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି କି ନାହିଁ।