ଭବାନୀପାଟଣା: ଜୁନାଗଡ଼ ବ୍ଲକର କଲୋନୀ ପଡ଼ାସ୍ଥିତ ରତନପାଲା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଦାନନ୍ଦ ମାଝୀଙ୍କୁ ଜାଲ ଶିକ୍ଷାଗତ ପ୍ରମାଣପତ୍ର ଦେବା ମହଙ୍ଗା ପଡ଼ିଛି। ଚାକିରୀରେ ଯୋଗଦେବା ସମୟରେ ସେ ଦାଖଲ କରିଥିବା ସିଟି (ଶିକ୍ଷକ ପ୍ରଶିକ୍ଷଣ) ସାର୍ଟିଫିକେଟ ନକଲି ବୋଲି ଧରାପଡ଼ିବା ପରେ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ପୂର୍ବରୁ ତାଙ୍କ ବିରୋଧରେ ଅନେକ ଅଭିଯୋଗ ଥାଇ ମଧ୍ୟ ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀ କୌଣସି ପଦକ୍ଷେପ ନେଇନଥିଲେ। ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିବା ପରେ, ତାଙ୍କ ନିର୍ଦ୍ଦେଶ ଅନୁସାରେ ବ୍ଲକ ଶିକ୍ଷାଧିକାରୀ ପତ୍ର ସଂଖ୍ୟା ୧୯୩୩, ତାରିଖ ୦୩/୦୫/୨୫ ମାଧ୍ୟମରେ ମାଝୀଙ୍କ ସିଟି ସାର୍ଟିଫିକେଟକୁ ସତ୍ୟତା ଯାଞ୍ଚ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦକୁ ପଠାଇଥିଲେ।
ମାଧ୍ୟମିକ ଶିକ୍ଷା ପରିଷଦ ପତ୍ର ସଂଖ୍ୟା ୮୩୬, ତାରିଖ ୦୫/୦୫/୨୫ ମାଧ୍ୟମରେ ନିଶ୍ଚିତ କରିଥିଲେ ଯେ ମାଝୀଙ୍କ ଦାଖଲ କରାଯାଇଥିବା ସାର୍ଟିଫିକେଟ ଜାଲ। ଫଳସ୍ୱରୂପ, ଜୁନାଗଡ଼ ବ୍ଲକ ଶିକ୍ଷାଧିକାରୀ ପତ୍ର ସଂଖ୍ୟା ୨୧୩୬, ତାରିଖ ୧୭/୦୫/୨୫ ଜାରି କରି ମାଝୀଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏବେ ପ୍ରଶ୍ନ ଉଠୁଛି, ବ୍ଲକ ଶିକ୍ଷାଧିକାରୀ କେବଳ ମାଝୀଙ୍କୁ ଚାକିରୀରୁ ହଟାଇ ନିଶ୍ଚିନ୍ତ ହେବେ, ନା ସରକାରୀ ଅର୍ଥ ହଡ଼ପ ଓ ଠକେଇ ଭଳି ଗୁରୁତର ଅଭିଯୋଗରେ ଥାନାରେ ମାମଲା ଦାୟର କରିବେ, ତାହା ଦେଖିବାକୁ ବାକି ରହିଲା।