ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: “ବିଜେପି ସରକାରର ପ୍ରାଥମିକତା ଲୋକଙ୍କୁ ନ୍ୟାୟ ଦେବା”

ସମ୍ବଲପୁର, ୨୧ ଏପ୍ରିଲ ୨୦୨୫: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ମହାନଗର ନିଗମର ଦୁର୍ଗାପାଲି କାର୍ଯ୍ୟାଳୟରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଶେଷ ହେବା ପରେ କହିଛନ୍ତି, “ବିଜେପି ସରକାରର ପ୍ରାଥମିକତା ହେଉଛି ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ଏବଂ ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ କରିବା।” ଏହି ଐତିହାସିକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜେ ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ଅଭିଯୋଗ ଶୁଣିଛନ୍ତି, ଯାହା ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଶାସନର ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛି।

ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱର ବାହାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ବଲପୁର ପହଞ୍ଚି ପ୍ରଥମେ ମା’ ସମଲେଇଙ୍କ ଦର୍ଶନ କରିଥିଲେ ଏବଂ ପରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ସମେତ ୧୧ ଜଣ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ଏକାଧିକ ଅଭିଯୋଗକାରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିଥିଲେ। ବିଶେଷ କରି ଦିବ୍ୟାଙ୍ଗ, ବୟସ୍କ ଓ ମହିଳାଙ୍କ ଅଭିଯୋଗକୁ ପ୍ରାଥମିକତା ଦିଆଯାଇଥିଲା। ଜମି ସମ୍ବନ୍ଧୀୟ ବିବାଦ, ପେନ୍ସନ, ରାସନ କାର୍ଡ, ରାସ୍ତା, ପାଣି ଓ ବିଦ୍ୟୁତ ସମସ୍ୟା ଆଦି ଉପରେ ଅଧିକାଂଶ ଅଭିଯୋଗ ଆସିଥିଲା। ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ କୋଶଲ ସଂଗ୍ରାମୀ ସଂଗଠନର ପ୍ରତିନିଧିମାନେ ପଶ୍ଚିମ ଓଡ଼ିଶା ପାଇଁ ପୃଥକ ‘କୋଶଲ’ ରାଜ୍ୟ ଗଠନର ଦାବି ଉଠାଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ପଶ୍ଚିମ ଓଡ଼ିଶା ଅବହେଳିତ ହୋଇ ବିକାଶରୁ ବଞ୍ଚିତ ହେଉଛି। ସମ୍ବଲପୁରୀ ଭାଷାର ସାମ୍ବିଧାନିକ ମାନ୍ୟତା ଏବଂ ଅର୍ଥନୈତିକ ସ୍ୱାବଲମ୍ବନ ପାଇଁ ସେମାନେ ସ୍ମାରକପତ୍ର ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମ ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ, “ଆମର ସରକାର ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଅଭିଯୋଗ ଶୁଣୁଛି। ଆମର ଏକମାତ୍ର ଲକ୍ଷ୍ୟ ହେଉଛି ଜନସାଧାରଣଙ୍କୁ ନ୍ୟାୟ ଦେବା ଏବଂ ସେମାନଙ୍କ ସମସ୍ୟାର ସମାଧାନ କରିବା।” ସେ ଆହୁରି କହିଥିଲେ ଯେ, ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ସରକାର ବଦ୍ଧପରିକର ଏବଂ ଏହାକୁ ଅଗ୍ରାଧିକାର ଦିଆଯିବ।

Leave a Reply

Your email address will not be published. Required fields are marked *