ହୀରାକୁଦ ଷ୍ଟେସନରେ ୨୨.୮୭ କୋଟି ଟଙ୍କାର ଆଧୁନିକୀକରଣ: ଅମୃତ ଭାରତ ଯୋଜନାରେ ପଶ୍ଚିମ ଓଡ଼ିଶାର ରେଳ ଉନ୍ନୟନ

ପଶ୍ଚିମ ଓଡ଼ିଶାରେ ରେଳ ଭିତ୍ତିଭୂମିର ଆଧୁନିକୀକରଣ ଓ ପୁନରୁଦ୍ଧାର ପାଇଁ ଭାରତୀୟ ରେଳବାଇ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ହୀରାକୁଦ ରେଳ ଷ୍ଟେସନର ବିକାଶ ପାଇଁ ୨୨.୮୭ କୋଟି ଟଙ୍କା ମଞ୍ଜୁର କରିଛି। ପୂର୍ବତଟ ରେଳବାଇ (ଇସିଓଆର) ଏହି ସୂଚନା ଦେଇଛି। ହୀରାକୁଦ ଷ୍ଟେସନରେ ୧୨ ମିଟର ଚଉଡ଼ା ଫୁଟ୍‌ ଓଭର ବ୍ରିଜ୍‌, ଦୁଇଟି ଯାତ୍ରୀ ଲିଫ୍ଟ, ଉନ୍ନତ ଶୌଚାଳୟ, କୋଚ୍‌ ଇନ୍ଡିକେସନ ବୋର୍ଡ ଏବଂ ଦିବ୍ୟାଙ୍ଗଜନ-ଅନୁକୂଳ ଭିତ୍ତିଭୂମି ନିର୍ମାଣ କରାଯିବ। ଏହା ବୟୋଜ୍ୟେଷ୍ଠ ଓ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ସୁବିଧାଜନକ ହେବ। ଏହା ସହ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଅନ୍ୟାନ୍ୟ ଷ୍ଟେସନରେ ମଧ୍ୟ ଉନ୍ନୟନ କାର୍ଯ୍ୟ ହେବ, ଯେଉଁଥିରେ ସମ୍ବଲପୁର ପାଇଁ ୨୩.୭୬ କୋଟି ଓ ତିତିଲାଗଡ଼ ପାଇଁ ୩୫.୭୯ କୋଟି ଟଙ୍କା ମଞ୍ଜୁର ହୋଇଛି।

ଏହି ପ୍ରକଳ୍ପରେ ନୂଆ ଷ୍ଟେସନ ଭବନ, ପ୍ଲାଟଫର୍ମ ସମ୍ପ୍ରସାରଣ, ଟିକେଟ ବ୍ୟବସ୍ଥାର ଉନ୍ନତି, ଉଚ୍ଚ ପ୍ଲାଟଫର୍ମ, ଚଉଡ଼ା ଫୁଟ୍‌ ଓଭର ବ୍ରିଜ୍‌, ନୀରିକ୍ଷଣ ବ୍ୟବସ୍ଥା ଏବଂ ଆଧୁନିକ ଯାତ୍ରୀ ପ୍ରତୀକ୍ଷାଳୟ, ଉଚ୍ଚଗତି ଓ୍ୱାଇ-ଫାଇ ଓ ଜିପିଏସ-ସକ୍ଷମ ଘଣ୍ଟା ଭଳି ସୁବିଧା ଯୋଗାଇ ଦିଆଯିବ। ଏହି ଉନ୍ନୟନ ଦୁର୍ଗମ ଅଞ୍ଚଳରେ ସଂଯୋଗୀକରଣ ବୃଦ୍ଧି କରି ପଶ୍ଚିମ ଓଡ଼ିଶାରେ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *