ଓଡ଼ିଶାରେ ମାଗଣାରେ ପଟ୍ଟା ପରିବର୍ତନ: ଭୂମିହୀନଙ୍କୁ ୪ ଡିସିମିଲ୍ ଜମି ଯୋଗାଇବ ସରକାର

ଭୁବନେଶ୍ୱର, ୧୯/୫: ଓଡ଼ିଶା ସରକାର ରାଜ୍ୟରେ ଜମି ପଟ୍ଟା ସଂଶୋଧନ ଓ ଭୂମିହୀନଙ୍କୁ ଜମି ଯୋଗାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଯେଉଁ ମୃତ ବ୍ୟକ୍ତିଙ୍କ ନାମରେ ଜମି ପଟ୍ଟା ରହିଛି, ତାହା ତାଙ୍କ ଉତ୍ତରାଧିକାରୀଙ୍କ ନାମରେ ମାଗଣାରେ ପରିବର୍ତନ କରାଯିବ। ଏହି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ରାଜସ୍ବ ବିଭାଗ ପକ୍ଷରୁ ଗତ ୧୭ ମେ ତାରିଖରେ ବିଜ୍ଞପ୍ତି ଜାରି ହୋଇଛି।

ରାଜସ୍ବ ବିଭାଗର ଅଧିକାରୀମାନେ, ବିଶେଷତ ରେଭେନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ), ଗାଁ ଗାଁକୁ ଯାଇ ସର୍ଭେ କରି ପଟ୍ଟା ସମ୍ବନ୍ଧୀୟ ସମସ୍ୟା ଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କରିବେ। ପଟ୍ଟା ସଂଶୋଧନ ପାଇଁ ଏକ ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରାଯିବ, ଯେଉଁଥିରେ ମୃତକଙ୍କ ପରିବାର ସଦସ୍ୟଙ୍କ ନାମ ଓ ଦୁଇଜଣ ସାକ୍ଷୀଙ୍କ ନାମ ଉଲ୍ଲେଖ ରହିବ। ପଟ୍ଟା ଚୂଡ଼ାନ୍ତ ହେବା ପୂର୍ବରୁ ସଂପୃକ୍ତ ପରିବାରକୁ ୧୫ ଦିନିଆ ନୋଟିସ୍ ଦିଆଯିବ। ଯଦି କୌଣସି ଅଭିଯୋଗ ଥାଏ, ତାହାକୁ ତହସିଲ ଅଫିସରେ ଅତିରିକ୍ତ ତହସିଲଦାର ବା ତହସିଲଦାରଙ୍କ ଦ୍ୱାରା ଆପୋଷ ସମାଧାନ କରାଯିବ। ଏହାପରେ ପ୍ରକୃତ ଉତ୍ତରାଧିକାରୀଙ୍କ ନାମରେ ପଟ୍ଟା ହସ୍ତାନ୍ତର କରାଯିବ, ଏବଂ ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ଏହାସହ, ୪ ଡିସିମିଲ୍‌ରୁ (୦.୦୪ ଏକର) କମ୍ ଜମି ଥିବା ବ୍ୟକ୍ତିଙ୍କୁ ଭୂମିହୀନ ଭାବେ ଘୋଷଣା କରାଯିବ। ଏହି ଭୂମିହୀନ ପରିବାରମାନଙ୍କୁ ରାଜ୍ୟ ସରକାର ‘ବସୁନ୍ଧରା ଯୋଜନା’ ଅଧୀନରେ ୪ ଡିସିମିଲ୍ ଜମି ଯୋଗାଇ ଦେବେ। ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ଭୂମିହୀନ ପରିବାରଙ୍କୁ ଚିହ୍ନଟ କରି ସେମାନଙ୍କୁ ଜମି ପ୍ରଦାନ କରାଯିବ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେଉଛି।

ଏହି ପଦକ୍ଷେପକୁ ରାଜ୍ୟବାସୀ ସ୍ୱାଗତ କରିଛନ୍ତି, କାରଣ ଏହା ଜମି ମାଲିକାନା ସମ୍ବନ୍ଧୀୟ ସମସ୍ୟାର ସହଜ ସମାଧାନ ଓ ଭୂମିହୀନଙ୍କୁ ସଶକ୍ତିକରଣ କରିବ। ଏହି ଅଭିଯାନ ଜମି ସଂସ୍କାରରେ ଏକ ବଡ଼ ପରିବର୍ତନ ଆଣିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *