ଭାରତର ବିରୋଧ ଅଗ୍ରାହ୍ୟ: ପାକିସ୍ତାନକୁ ୨୦ ହଜାର କୋଟିର ଆଇଏମ୍‌ଏଫ୍ ବେଲ୍‌ଆଉଟ, ଉଠିଲା ଆତଙ୍କବାଦ ପୋଷଣ ଆଶଙ୍କା!

ନୂଆଦିଲ୍ଲୀ, ୯ ମେ ୨୦୨୫: ଆର୍ଥିକ ସଙ୍କଟରେ ଥିବା ପାକିସ୍ତାନକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍) ୨.୩ ବିଲିୟନ ଡଲାର (୨୦ ହଜାର କୋଟି ଟଙ୍କା)ର ବେଲ୍‌ଆଉଟ ପ୍ୟାକେଜ ମଞ୍ଜୁର କରିଛି, ଯାହାକୁ ଭାରତ ତୀବ୍ର ବିରୋଧ କରି ଭୋଟିଂରୁ ବିରତ ରହିଛି। ଭାରତ ଆଶଙ୍କା କରିଛି ଯେ, ଏହି ଅର୍ଥ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହୋଇପାରେ। ଏହି ଋଣରୁ ୧ ବିଲିୟନ ଡଲାର (୮,୫୦୦ କୋଟି) ତୁରନ୍ତ ଏବଂ ବାକି ୧.୩ ବିଲିୟନ ଡଲାର (୧୧ ହଜାର କୋଟି) ଆଗାମୀ ୨୮ ମାସରେ କିସ୍ତିରେ ପାକିସ୍ତାନକୁ ମିଳିବ।

ପାକିସ୍ତାନର ଆଇଏମ୍‌ଏଫ୍ ଋଣ ବ୍ୟବହାରର ଇତିହାସ ନିରାଶାଜନକ। ୧୯୮୯ ପରେ ୩୫ ବର୍ଷରୁ ୨୮ ବର୍ଷ ଏହା ଆଇଏମ୍‌ଏଫ୍ ଋଣ ଉପରେ ନିର୍ଭର କରିଛି। ୨୦୧୯ ପରେ ୫ ବର୍ଷରେ ୪ଟି ଋଣ କାର୍ଯ୍ୟକ୍ରମ ସତ୍ତ୍ୱେ ଦେଶର ଅର୍ଥନୀତିରେ ଉନ୍ନତି ହୋଇନାହିଁ। ଭାରତ ଅଭିଯୋଗ କରିଛି ଯେ, ପାକିସ୍ତାନ ସେନାର ରାଜନୈତିକ ଓ ଅର୍ଥନୈତିକ ହସ୍ତକ୍ଷେପ ସଂସ୍କାରରେ ବାଧା ସୃଷ୍ଟି କରୁଛି। ୨୦୨୧ରେ ଜାତିସଂଘ ରିପୋର୍ଟ ପାକିସ୍ତାନର ସେନା ଓ କମ୍ପାନିଗୁଡ଼ିକ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ପ୍ରକାଶ କରିଥିଲା।

ଏତେ ବେଲ୍‌ଆଉଟ ସତ୍ତ୍ୱେ ପାକିସ୍ତାନର ଋଣ ଭାର ବୃଦ୍ଧି ପାଉଛି ଏବଂ ଆତଙ୍କବାଦକୁ ସମର୍ଥନ ଜାରି ରହିଛି, ଯାହା ଆଇଏମ୍‌ଏଫ୍, ବିଶ୍ୱବ୍ୟାଙ୍କ ଓ ଏଡ଼ିବି ପାଇଁ ଝୁଁକି ସୃଷ୍ଟି କରୁଛି। ଭାରତ କହିଛି, ଋଣ ପ୍ରଦାନ ସମୟରେ ବିଶ୍ୱ ପ୍ରତିଷ୍ଠାନଗୁଡ଼ିକ ନୈତିକ ମୂଲ୍ୟବୋଧକୁ ଅଗ୍ରାଧିକାର ଦେବା ଉଚିତ।

Leave a Reply

Your email address will not be published. Required fields are marked *