NHAIର ଅବହେଳା ଯୋଗୁଁ ଅଇଂଠାପାଲି ରୋଡରେ ଦୁର୍ଘଟଣା ବୃଦ୍ଧି: ଇଂ. ରୋହିତ ପୂଜାରୀ

ସମ୍ବଲପୁର, ୧୯/୦୫: ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ. ରୋହିତ ପୂଜାରୀ ଏକ ସାମ୍ବାଦିକ ବିବୃତି ମାଧ୍ୟମରେ ଜଣାଇଛନ୍ତି ଯେ, ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଅଧିକାରୀ ଏବଂ ପ୍ରଶାସନର ଅବହେଳା ଯୋଗୁଁ ଏନଏଚ ୫୩ ଆଇନ୍ଥାପାଲି ରୋଡରେ ଦୁର୍ଘଟଣା ବୃଦ୍ଧି ପାଉଛି। ଏନଏଚ ୫୩ରେ ଫ୍ଲାଇଓଭର ବିସ୍ତାରଣ କାର୍ଯ୍ୟ ଚାଲିଥିବା ବେଳେ, ଅଇଂଠାପାଲି ଚୌକ ଏବଂ ଆଖପାଖ ଅଞ୍ଚଳ ଅତ୍ୟନ୍ତ ଜନଗହଳିପୂର୍ଣ୍ଣ ରହୁଛି। ବିସ୍ତାରଣ କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଚାରିଆଡ଼େ ଛିଟିକି ରହିଛି। ଏହା ସହିତ, ବହୁ ସଂଖ୍ୟାରେ ଭାରୀ ଯାନ, କାରଖାନାରୁ ପାଉଁଶ ଲଦା ଯାନ ଏବଂ ଯାତ୍ରୀବାହୀ ଗାଡ଼ିଗୁଡ଼ିକ ଚଳାଚଳ କରୁଛି, ଯାହା ଯୋଗୁଁ ପ୍ରଚୁର ପରିମାଣରେ ଧୂଳିକଣା ଉଡ଼ୁଛି ଏବଂ ରାସ୍ତା ମଧ୍ୟ କ୍ଷତିଗ୍ରସ୍ତ ହେଉଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଟ୍ରାଫିକ ସଙ୍କେତ, ସୂଚନା ବୋର୍ଡ ଏବଂ ଯାତ୍ରୀ ଓ ଚାଳକମାନଙ୍କୁ ସୂଚନା ଦେବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥାର ଅଭାବ ରହିଛି। ଫଳସ୍ୱରୂପ, ଅଇଂଠାପାଲି ଚୌକ ନିକଟରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଉଦାହରଣ ସ୍ୱରୂପ, ପ୍ରସିଦ୍ଧ ENT ଡାକ୍ତର ତଥା ପୂର୍ବତନ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ଏଡିଏମଓ) ଡା. ଭାରତ ଚନ୍ଦ୍ର ଦାଶ, ଯିଏ କିଛୁ ସମୟ ପାଇଁ ସମ୍ବଲପୁର ଜିଲ୍ଲାର ପ୍ରଭାବୀ ସିଡିଏମଓ ଭାବେ ଦାୟିତ୍ୱ ନେଇଥିଲେ, ସେ ଏହି ସ୍ଥାନରେ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ଏହି ଅକାଳ ମୃତ୍ୟୁ ପାଇଁ ଇଂ. ପୂଜାରୀ ତାଙ୍କ ଅମର ଆତ୍ମାର ଶାନ୍ତି କାମନା କରିବା ସହ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

ସେ ଆହୁରି କହିଛନ୍ତି ଯେ, ସମ୍ବଲପୁରବାସୀ ଡା. ଦାଶଙ୍କ ଭଳି ଜଣେ ମେଳାପୀ, ମିଷ୍ଟଭାଷୀ ଓ ଉତ୍ତମ ଡାକ୍ତରଙ୍କୁ ହରାଇ ଗଭୀର ଶୋକରେ ନିମଜ୍ଜିତ। ସେ ମା ସମଲେଶ୍ୱରୀ ଓ ଭଗବାନ ଜଗନ୍ନାଥଙ୍କ ନିକଟରେ ଡା. ଦାଶଙ୍କ ପରିବାରକୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରିବା ପାଇଁ ପ୍ରାର୍ଥନା କରିଛନ୍ତି।

ଏହା ସହିତ, ଇଂ. ପୂଜାରୀ ଏନଏଚଏଆଇ ଅଧିକାରୀ ଓ ଜିଲ୍ଲା ପ୍ରଶାସନଙ୍କୁ ଦାବି କରିଛନ୍ତି ଯେ, ଯାତ୍ରୀ ଓ ଯାନବାହନର ସୁଗମ ଚଳାଚଳ ପାଇଁ ଉପଯୁକ୍ତ ଟ୍ରାଫିକ ସଙ୍କେତ, ସୂଚନା ବୋର୍ଡ ଏବଂ ଧୂଳିକଣା ଉଡ଼ିବା ରୋକିବା ପାଇଁ ନିୟମିତ ପାଣି ଛିଞ୍ଚିବା ବ୍ୟବସ୍ଥା କରାଯାଉ।

Leave a Reply

Your email address will not be published. Required fields are marked *