ସମ୍ବଲପୁର:ମହୁଲପାଲି ଥାନା ଅଧୀନରେ ୨୦୧୮ ମସିହା ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟାରେ ଘଟିଥିବା ଏକ ଜଘନ୍ୟ ଅପରାଧରେ ଅଭିଯୁକ୍ତ ଟେକଚାନ୍ଦ ରୋହିଦାସଙ୍କୁ ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ଅବିନାଶ ସେନାପତି ଦୋଷୀ ସାବ୍ୟସ୍ତ କରି ୧୫ ବର୍ଷର କଠୋର କାରାଦଣ୍ଡ ସହ ରୁ. ୫୦,୦୦୦ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅଦାୟ ହେଲେ ଅତିରିକ୍ତ ଏକ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ହେବ। ଏହା ସହିତ, କୋର୍ଟ ଜିଲ୍ଲା ଆଇନଗତ ସେବା ପ୍ରାଧିକରଣକୁ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
୨୦୧୮ ମସିହା ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟାରେ, ୭ ବର୍ଷୀୟ ନାବାଳିକା ତାଙ୍କ ଘର ନିକଟରେ ଖେଳୁଥିବା ବେଳେ ଅଭିଯୁକ୍ତ ଟେକଚାନ୍ଦ ରୋହିଦାସ ତାଙ୍କୁ ଗାଁରେ ଗଣେଶ ପୂଜା ଦେଖାଇବାର ପ୍ରଲୋଭନ ଦେଖାଇ ନେଇଥିଲେ। କିନ୍ତୁ ସେ ନାବାଳିକାଙ୍କୁ ପୂଜା ମଣ୍ଡପ ବଦଳରେ ନିକଟସ୍ଥ ନଦୀ ଆଡ଼କୁ ନେଇ ଜବରଦସ୍ତୀ ଜଘନ୍ୟ ଅପରାଧ ଘଟାଇଥିଲେ। ଏହି ସମୟରେ, ପୀଡ଼ିତାଙ୍କ ମାମୁଁ ନଦୀକୂଳରୁ ଫେରୁଥିବା ବେଳେ ଘଟଣାଟି ପ୍ରତ୍ୟକ୍ଷ ଦେଖିଥିଲେ। ସେ ନାବାଳିକାଙ୍କୁ ଅଭିଯୁକ୍ତଙ୍କଠାରୁ ଉଦ୍ଧାର କରି ଘରକୁ ଆଣିଥିଲେ। ପରେ ପୀଡ଼ିତା ତାଙ୍କ ବାପା ଓ ମାଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଏହାପରେ ପୀଡ଼ିତାଙ୍କ ପରିବାର ମହୁଲପାଲି ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଥିଲେ।
ମହୁଲପାଲି ପୋଲିସ ମାମଲାର ତଦନ୍ତ କରି ଅଭିଯୁକ୍ତ ଟେକଚାନ୍ଦ ରୋହିଦାସଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଥିଲେ। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଓକିଲ ସନ୍ତୋଷ କୁମାର ପଣ୍ଡା ଏହି ମାମଲା ପରିଚାଳନା କରିଥିଲେ। ତଦନ୍ତ ଓ ପ୍ରମାଣ ଆଧାରରେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡ ଘୋଷଣା କରିଛନ୍ତି।
ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବା ସହିତ, କୋର୍ଟ ଜିଲ୍ଲା ଆଇନଗତ ସେଭା ପ୍ରାଧିକରଣକୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ପୀଡ଼ିତାଙ୍କ ପୁନର୍ବାସନ ଓ ସମାଜିକ ପୁନଃସଂଯୋଗ ପାଇଁ ସହାୟକ ହେବ।ଏହି ରାୟ ନାବାଳିକାଙ୍କ ବିରୁଦ୍ଧରେ ଅପରାଧ ରୋକିବା ଏବଂ ଦୋଷୀମାନଙ୍କୁ କଠୋର ଦଣ୍ଡ ଦେବାରେ ନ୍ୟାୟ ବ୍ୟବସ୍ଥାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
