ରାଉରକେଲା: ସୁରକ୍ଷାବାହିନୀ ଏକ ବଡ଼ ଅପରେସନରେ ୧୮,୦୦୦ ଡେଟୋନେଟର ଜବତ କରି ମାଓବାଦୀଙ୍କ ବଡ଼ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଥିବା ସରଣ୍ଡା ଜଙ୍ଗଲର ଜାରେଇକେଲା ଥାନା ଅଧୀନ ହୁସିପି ଗାଁ ନିକଟସ୍ଥ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଏହି ଜବତ କାର୍ଯ୍ୟ ହୋଇଛି। ଗୁପ୍ତ ସୂଚନା ଆଧାରରେ ଝାଡ଼ଖଣ୍ଡ ପୁଲିସ, ସିଆରପିଏଫ୍ ଓ ଝାଡ଼ଖଣ୍ଡ ଜାଗୁଆରର ମିଳିତ ଟିମ୍ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ଅଭିଯାନରେ ଦୁର୍ଗମ ଜଙ୍ଗଲ ଓ ପାହାଡ଼ରେ ଲୁଚାଇ ରଖାଯାଇଥିବା ବିସ୍ଫୋରକ ଜବତ ହୋଇଛି। ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଡେଟୋନେଟରଗୁଡ଼ିକୁ ନିଷ୍କ୍ରିୟ ଓ ନଷ୍ଟ କରିଛି। ଏହି ବିସ୍ଫୋରକ ଚରମପନ୍ଥୀ ବା ଦେଶବିରୋଧୀ କାର୍ଯ୍ୟ ପାଇଁ ବ୍ୟବହାର ହେବାର ସନ୍ଦେହ ରହିଛି। ସୁରକ୍ଷାବାହିନୀ ଏହାର ଉତ୍ସ ଓ ଉଦ୍ଦେଶ୍ୟ ଜାଣିବା ପାଇଁ ତଦନ୍ତ ଜାରି ରଖିଛି ଏବଂ ଅଞ୍ଚଳରେ ଅଧିକ ସର୍ଚ୍ଚ ଅପରେସନ ଚାଲୁ ରହିଛି।
