ନୂଆପଡ଼ା: ପରିବେଶ ସ୍ଥାୟୀତ୍ୱ ଆଡ଼କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ, ନୂଆପଡ଼ା ଜିଲ୍ଲା ପ୍ରଶାସନ ୟୁନିସେଫ୍ ସହଯୋଗରେ ଏକକାଳୀନ ପ୍ଲାଷ୍ଟିକ (ଏସୟୁପି) ନିଷେଧ ପାଇଁ ବୃହତ ଅଭିଯାନ ଆରମ୍ଭ କରିଛି। ଏହା ସହିତ ଜିଲ୍ଲାବ୍ୟାପୀ ବୃହତ ସ୍ୱଚ୍ଛତା ଓ ସାମୂହିକ ଗଛ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଚାଲିଛି। ଏକଦିନିଆ ଅଭିଯାନରେ ୩,୦୦୦ରୁ ଅଧିକ ସ୍ଥାନରେ ସ୍ୱଚ୍ଛତା କାର୍ଯ୍ୟ ହୋଇ ୩୦ ଟନ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଛି।
ଏହା ସହ ୭୦୦ରୁ ଅଧିକ ଗାଁରେ ୧ ଲକ୍ଷରୁ ଅଧିକ ଚାରା ରୋପଣ କରାଯାଇଛି। ବିଶ୍ୱ ପରିବେଶ ଦିବସରେ (୫ ଜୁନ) ଜିଲ୍ଲାକୁ ପ୍ଲାଷ୍ଟିକ ମୁକ୍ତ କରିବା ପ୍ରତିଜ୍ଞା ପରେ ଜିଲ୍ଲା କଲେକ୍ଟର ମଧୁସୂଦନ ଦାସଙ୍କ ନେତୃତ୍ୱରେ ଏହି ଅଭିଯାନ ତୀବ୍ର ହୋଇଛି। ଖରିଆର ଏନଏସି ବଜାରରେ କଲେକ୍ଟର ନିଜେ ସ୍ୱଚ୍ଛତା କାର୍ଯ୍ୟରେ ଅଂଶଗ୍ରହଣ କରି ବ୍ୟବସାୟୀ ଓ ଜନସାଧାରଣଙ୍କୁ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରି ବିକଳ୍ପ ଉପାୟ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ୫ଟି ବ୍ଲକ ଓ ୩ଟି ଏନଏସିରେ ଅଧିକାରୀ, ଜନପ୍ରତିନିଧି, ଆଙ୍ଗନୱାଡ଼ି ଓ ଆଶା କର୍ମୀ, ଏସଏଚଜି ମହିଳା, ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ ଏହି ଅଭିଯାନ ସଫଳ ହୋଇଛି। ୟୁନିସେଫ୍ ଏହାର ପ୍ରଶଂସା କରି ନୂଆପଡ଼ାକୁ ଓଡ଼ିଶାର ପ୍ରଥମ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଘୋଷଣା କରିବା ଲକ୍ଷ୍ୟ ୨ ଅକ୍ଟୋବର (ଗାନ୍ଧୀ ଜୟନ୍ତୀ) ସୁଦ୍ଧା ହାସଲ କରାଯିବ ବୋଲି ଆଶା ରଖିଛି।
