ଭୁବନେଶ୍ୱର, ୧୦ ମେ ୨୦୨୫: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ରାଜ୍ୟର ସମସ୍ତ ଜିଲ୍ଲାପାଳ, ରେଭେନ୍ୟୁ ଡିଭିଜନାଲ କମିଶନର (ଆରଡିସି) ଏବଂ ଆଇପିଏସ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଛୁଟିରେ ଥିବା ଅଧିକାରୀମାନଙ୍କୁ ତୁରନ୍ତ ନିଜ ମୁଖ୍ୟାଳୟକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ କୌଣସି ନୂଆ ଛୁଟି ମଞ୍ଜୁର କରାଯିବ ନାହିଁ।
ରାଜ୍ୟ ସରକାର ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି କଡ଼ା ନିଷ୍ପତ୍ତି ନେଇଛନ୍ତି। ବିଜ୍ଞପ୍ତିରେ କୁହାଯାଇଛି ଯେ, ସମସ୍ତ ଅଧିକାରୀ ନିଜ ମୁଖ୍ୟାଳୟରେ ଉପସ୍ଥିତ ରହି ସୁରକ୍ଷା ଓ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବେ। ଏହା ସହିତ ରାଜ୍ୟର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ପୁଲିସ ଓ ପ୍ରଶାସନକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦେଶର ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ସୁରକ୍ଷା ଓ ରାଜ୍ୟର ଶାନ୍ତି ବଜାୟ ରଖିବାର ଏକ ଅଂଶ ବୋଲି ଜଣାପଡ଼ିଛି।