ସାହାଜବାହାଲରେ ପାଉଁଶ ପ୍ରଦୂଷଣ: ସାଂସଦଙ୍କୁ ଅଞ୍ଚଳବାସୀଙ୍କ ଦାବିପତ୍ର

ଇବଥର୍ମାଲ, ୨୮୬ (ନି.ପ୍ର): ଝାରସୁଗୁଡ଼ା ଜିଲ୍ଲାର ସାହାଜବାହାଲ ଅଞ୍ଚଳରେ ଜେଏସଡବ୍ଲୁ ଓ ଓପିଜିସି ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଯୋଗୁଁ ପାଉଁଶ ପ୍ରଦୂଷଣ ବୃଦ୍ଧି ପାଇଛି। ଜେଏସଡବ୍ଲୁର ଚିମିନିରୁ ପାଉଁଶ ବର୍ଷା ଓ ଓପିଜିସିରୁ ବେଆଇନ ପାଉଁଶ ପରିବହନକୁ ନେଇ ସ୍ଥାନୀୟ ଅଧିବାସୀମାନେ ତୀବ୍ର ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି ସମସ୍ୟାର ସମାଧାନ ଦାବିରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଥିବା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ କୁମ୍ଭାରବନ୍ଧ ଯଜ୍ଞମଣ୍ଡପରେ ଏକ ବୈଠକରେ ଅଞ୍ଚଳିକ ପରିବେଶ ସୁରକ୍ଷା କମିଟି ଦାବିପତ୍ର ପ୍ରଦାନ କରିଛି।

ବୈଠକରେ କମିଟିର ସଭାପତି ଉମାକାନ୍ତ ପଣ୍ଡା, ସମ୍ପାଦକ ଭୋନାଥ ବଢ଼େଇ, ଲିଙ୍ଗରାଜ ବଢ଼େଇ ଓ ଦେବାଶିଷ ପାଟ୍ଟଯୋଶୀ ପୂର୍ବ ବୈଠକରେ ଉଠିଥିବା ସମସ୍ୟା ଓ ଜିଲାପାଳଙ୍କୁ ଦିଆଯାଇଥିବା ଦାବିପତ୍ର ସମ୍ପର୍କରେ ସୂଚନା ଦେଇଥିଲେ। ଗତ ମାସ ୧୫ ତାରିଖରେ ତିଲିଆ, ରମ୍ପେଲା, କୁମ୍ଭାରବନ୍ଧ ଓ ପିପିଲିକାନୀ ପଞ୍ଚାୟତବାସୀ ପାଉଁଶ ପ୍ରଦୂଷଣ ବିରୋଧରେ ରାଜୀବ ଭବନରେ ପ୍ରତିବାଦ ସଭା କରିଥିଲେ। ୨୧ ତାରିଖରେ ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା, କିନ୍ତୁ ସମାଧାନ ନ ହେବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସାଂସଦ ପୁରୋହିତ ଜଣାଇଛନ୍ତି ଯେ ସେ ଅଞ୍ଚଳବାସୀଙ୍କ ସହ ଅଛନ୍ତି ଏବଂ ସମସ୍ୟାର ସତ୍ୟାସତ୍ୟ ଜାଣିବା ପାଇଁ ତାଙ୍କ ପ୍ରତିନିଧିଙ୍କୁ କାରଖାନାକୁ ପଠାଇଛନ୍ତି। ସେ ମନ୍ତ୍ରୀ ଓ ଜିଲାପାଳଙ୍କ ସହ ଆଲୋଚନା କରିବେ, ଏବଂ ଆବଶ୍ୟକ ହେଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସହ ଆଲୋଚନା କରି ସମାଧାନ କରିବେ। ସେ କହିଛନ୍ତି, “ମଣିଷ ଜୀବନ ଠାରୁ କାରଖାନା ବଡ଼ ନୁହେଁ। ଅଞ୍ଚଳବାସୀ ଆନ୍ଦୋଳନ କଲେ ମୁଁ ସେମାନଙ୍କ ସାଙ୍ଗରେ ରହିବି।”

Leave a Reply

Your email address will not be published. Required fields are marked *