ସମ୍ବଲପୁର: ଗତ ଦୁଇ ଦିନ ଧରି ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅଦିନିଆ ବର୍ଷା ଚାଷୀଙ୍କ ନିଦ ହରାଇଛି। ରବି ଋତୁର ଧାନ ଅମଳ ହୋଇ ଖଳାରେ ବିକ୍ରି ପାଇଁ ରଖାଯାଇଥିବା ବେଳେ, ଏହି ଅଣଆଶା ବର୍ଷାରେ ଧାନ ଭିଜିଯାଇ ଚାଷୀଙ୍କ ମୁଣ୍ଡରେ ଚିନ୍ତାର ବୋଝ ବଢ଼ାଇଛି। ଟୋକନ ସମସ୍ୟା, କଟନୀ-ଛଟନୀ ଓ ମିଲରଙ୍କ ମନମାନି ଭଳି ଅସୁବିଧା ମଧ୍ୟରେ ଏହି ବର୍ଷା ଚାଷୀଙ୍କ ଦୁର୍ଦ୍ଦଶାକୁ ଆହୁରି ବୃଦ୍ଧି କରିଛି।
ସମ୍ବଲପୁର ମହାନଗର, ମାନେଶ୍ୱର ଓ ଧନକଉଡ଼ା ବ୍ଲକ ଅଞ୍ଚଳରେ ହୀରାକୁଦ ଜଳସେଚନ ଅଞ୍ଚଳର ଚାଷୀମାନେ ଏହି ବର୍ଷାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି। ଚାଁରପୁର ଅଞ୍ଚଳରେ ମଙ୍ଗଳବାର ଓ ବୁଧବାର ରାତିରେ ଲଗାଣ ବର୍ଷା ଯୋଗୁଁ ଖଳାରେ ରଖାଯାଇଥିବା ଧାନ ବ୍ୟାପକ ଭାବେ ନଷ୍ଟ ହୋଇଛି। କେତେକ ଚାଷୀଙ୍କ ଧାନ ଗଜା ହୋଇଗଲାଣି, ଆଉ କେତେକ ଧାନରେ ଆଦ୍ରତା ବଢ଼ିଯାଇଛି। ଫଳରେ, ମିଲରମାନେ ଏହି ଧାନ କିଣିବାକୁ ଅସ୍ୱୀକାର କରିପାରନ୍ତି, ଯାହା ଚାଷୀଙ୍କୁ କମ ଦାମରେ ଧାନ ବିକ୍ରି କରିବାକୁ ବାଧ୍ୟ କରିବ ଏବଂ ସେମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେବେ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।