ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ଦକ୍ଷିଣ-ପୂର୍ବ ରେଳବାଇ ପକ୍ଷରୁ ୨୭ ଜୁଲାଇ ୨୦୨୫ରେ ଏକ ସ୍ବତନ୍ତ୍ର ଭାରତ ଗୌରବ ଟ୍ରେନ୍ ଆରମ୍ଭ ହେବ। ଏହି ୧୨ ଦିନିଆ ତୀର୍ଥଯାତ୍ରାରେ ଦକ୍ଷିଣ ଭାରତର ପ୍ରମୁଖ ତୀର୍ଥସ୍ଥଳ ତିରୁପତି, ରାମେଶ୍ୱରମ୍, ମଦୁରାଇ, କନ୍ୟାକୁମାରୀ ଏବଂ ମଲ୍ଲିକାର୍ଜୁନ ଭ୍ରମଣ କରାଯିବ। ଟ୍ରେନ୍ ଭାଗଲପୁର ଷ୍ଟେସନରୁ ୨୭ ଜୁଲାଇରେ ଛାଡ଼ି ୭ ଅଗଷ୍ଟରେ ଫେରିବ।
ଏହି ଟ୍ରେନ୍ ଜସଡିହି, ମଧୁପୁର, ବାରାକର, ଧାନବାଦ, ବୋକାରୋ ଷ୍ଟିଲ୍ ସିଟି, ମୁରି, ରାଞ୍ଚି, ରାଉରକେଲା, ଝାରସୁଗୁଡ଼ା, ଚମ୍ପା, ବିଳାସପୁର, ରାୟପୁର ଓ ଦୁର୍ଗ ଷ୍ଟେସନରେ ରହିବ। ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରର ତୀର୍ଥଯାତ୍ରୀମାନେ କେନ୍ଦ୍ର ସରକାରଙ୍କ “ଦେଖୋ ଅପନା ଦେଶ” ଯୋଜନାରେ ସୁଲଭ ମୂଲ୍ୟରେ ଏହି ତୀର୍ଥସ୍ଥଳ ଦର୍ଶନ କରିପାରିବେ।
ଟ୍ରେନରେ ଦୁଇ ଶ୍ରେଣୀର ବ୍ୟବସ୍ଥା ରହିଛି: ସ୍ଲିପର କ୍ଲାସରେ ୭୨୦ ଯାତ୍ରୀ ଓ ତୃତୀୟ ଏସି (3AC) କ୍ଲାସରେ ୭୦ ସିଟ୍। ପ୍ୟାକେଜରେ ନିଶ୍ଚିତ ଟିକେଟ୍, ସମସ୍ତ ଖାଦ୍ୟ (ଚା, ଜଳଖିଆ, ମଧ୍ୟାହ୍ନ ଓ ରାତ୍ରି ଭୋଜନ), ଡବଲ୍/ଟ୍ରିପଲ୍ ସେୟାରିଂ ଆଧାରରେ ରହଣି, ବସ୍ରେ ଦର୍ଶନୀୟ ସ୍ଥାନ ଭ୍ରମଣ, ଟ୍ରାଭେଲ୍ ଇନସୁରାନ୍ସ ଓ ଟୁର ଏସ୍କର୍ଟଙ୍କ ସହାୟତା ଅନ୍ତର୍ଭୁକ୍ତ। ସ୍ଲିପର କ୍ଲାସରେ ଜଣ ପିଛା ₹୨୨,୭୬୦ ଓ ତୃତୀୟ ଏସିରେ ₹୩୯,୯୯୦।
