କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକରେ ଦାଦନ ଶ୍ରମିକଙ୍କ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଅନ୍ୟ ରାଜ୍ୟରେ କାମ କରୁଥିବା ଶ୍ରମିକଙ୍କ ମୃତ୍ୟୁ ଘଟଣା ବାରମ୍ବାର ସାମ୍ନାକୁ ଆସୁଛି। ସୂଚନା ଅନୁଯାୟୀ, ଲାଞ୍ଜିଗଡ଼ ବ୍ଲକର ବିଶ୍ୱନାଥପୁର ଥାନା ଅଧୀନ କାନକୁଟ୍ରୁ ପଞ୍ଚାୟତର ତଳକାଳେଶ ଗାଁର ତ୍ରିନାଥ ବିଭାର (୨୧) ପରିବାର ପ୍ରତିପୋଷଣ ପାଇଁ କେରଳର ଏରନାକୁଲମ ଜିଲ୍ଲାକୁ ଦାଦନ ଖଟିବାକୁ ଯାଇଥିଲେ। ଏକ ଘରୋଇ ପ୍ଲାଷ୍ଟିକ କମ୍ପାନୀରେ ମାସେ କାମ କରିବା ପରେ ସୋମବାର, ୧୨ ମେ ୨୦୨୫ରେ ସେ ଗୁରୁତର ଅସୁସ୍ଥ ହୋଇଥିଲେ। ଆଳୁୱା ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ, କିନ୍ତୁ ଅବସ୍ଥା ବିଗିଡ଼ିଥିଲା। ଟ୍ରେନରେ ଘରକୁ ଫେରୁଥିବା ବେଳେ ତାଙ୍କ ସ୍ବାସ୍ଥ୍ୟ ଆହୁରି ଖରାପ ହୋଇଥିଲା। ତାଙ୍କ ଭିଣୋଇ ଗୌରାଙ୍ଗ ହରିଜନଙ୍କୁ ଜଣାଇବା ପରେ ବିଜୟୱାଡ଼ା ପୋଲିସ ତାଙ୍କୁ ଏଲୁରୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ୧୨ ମେ ରାତିରେ ସେ ମୃତ୍ୟୁବରଣ କରିଥିଲେ।
୧୩ ମେ, ମଙ୍ଗଳବାର ତାଙ୍କ ମୃତଦେହ ତଳକାଳେଶ ଗାଁରେ ପହଞ୍ଚିଥିଲା। ଗାଁ ମଶାଣିରେ ଶୋକାକୁଳ ପରିବେଶରେ ଶବ ସତ୍କାର କରାଯାଇଥିଲା। ତ୍ରିନାଥ ତାଙ୍କ ଗରିବ ପରିବାରର ଏକମାତ୍ର ରୋଜଗାରିଆ ଥିଲେ। ସେ ମା’, ସ୍ତ୍ରୀ ଓ ଛୋଟ ପୁଅକୁ ଛାଡ଼ିଛନ୍ତି। ପରିବାର ଏବେ ଆର୍ଥିକ ସଙ୍କଟରେ ଭାଙ୍ଗି ପଡ଼ିଛି। ସ୍ଥାନୀୟ ଲୋକେ ସରକାରୀ ସହାୟତା ଦାବି କରୁଛନ୍ତି। ଲାଞ୍ଜିଗଡ଼ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ବୃଦ୍ଧି ପାଉଥିବାରୁ ପ୍ରଶାସନ ଏହାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଜନସାଧାରଣ ଦାବି କରୁଛନ୍ତି।