ଓଡ଼ିଶାରେ ବିଲିୟମ ହେନେଜ ବିରୋଧରେ ଏକାଧିକ ଠକେଇ ମାମଲା


ଜେଲରେ ଥିବା ବିଖ୍ୟାତ ଠକ ଉଇଲିୟମ ହେନେଜଙ୍କ ବିରୋଧରେ ଦେବଗଡ ଥାନାରେ ନୂଆ ଠକେଇ ମାମଲା ରୁଜୁ ହୋଇଛି। ନିଜକୁ ପ୍ରଭାବଶାଳୀ ନେତା ବା ମନ୍ତ୍ରୀଙ୍କ ଘନିଷ୍ଠ ବୋଲି ଦାବି କରି ଓ ସେମାନଙ୍କ ସହ ଫଟୋ ଦେଖାଇ ସେ ଲକ୍ଷ ଲକ୍ଷ ଟଙ୍କା ଠକିଛନ୍ତି। ଗଜୁରିବଣୀ ଗ୍ରାମର ଲିବିଲ ବାର୍ଲାଙ୍କ ଅଭିଯୋଗ ଆଧାରରେ ଦେବଗଡ ପୋଲିସ କେସ ନଂ-୨୦୫, ଦଫା ୩୧୯(୨), ୩୧୮(୪), ୩୫୧(୩)ରେ ମାମଲା ରୁଜୁ କରିଛି।
ଉଇଲିୟମଙ୍କ ଠକେଇ କାରନାମା ଦେବଗଡରେ ସୀମିତ ନାହିଁ। କନ୍ଧମାଳର ବାଲିଗୁଡା ଓ କୋରାପୁଟର ଲକ୍ଷ୍ମୀପୁର ଥାନାରେ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବାଲିଗୁଡାରେ ସେ ନିଜକୁ ଏଚଇଡି ଟ୍ରଷ୍ଟର ଚେୟାରମ୍ୟାନ ଦାବି କରି ଲବନ୍ତ ଦିଗାଲଙ୍କଠାରୁ ୨୦୨୪ ଅଗଷ୍ଟ ୨୦ରେ ୧୧.୧୦ ଲକ୍ଷ ଟଙ୍କା ଠକିଥିଲେ। ଅଭିଯୋଗ ପରେ ବାଲିଗୁଡା ପୋଲିସ କେସ ନଂ-୧୪୪/୨୫ ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଲକ୍ଷ୍ମୀପୁରରେ ଉଇଲିୟମ ନିଜକୁ ଭୁବନେଶ୍ୱରର ଏପିଏଚଏସ ସଂସ୍ଥାର ଜେନେରାଲ ସେକ୍ରେଟାରୀ ଦାବି କରି ତେନ୍ତୁଳିପଦର ଗ୍ରାମ ପଂଚାୟତରେ ବୈଠକ କରିଥିଲେ। ସହଯୋଗୀ ରଞ୍ଜିତ ଦିଗାଲ, ଯୋଶେଫ ଦିଗାଲ ଓ ଅନ୍ୟମାନଙ୍କ ସହ ସେ ଗରିବଙ୍କୁ ୨.୫୦ ଲକ୍ଷ ଟଙ୍କାର ଘର ଓ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ ପ୍ରତିଶ୍ରୁତି ଦେଇଥିଲେ। ଚମ୍ପି ଗ୍ରାମର ଶଙ୍କର ପ୍ରସାଦ ସାହୁଙ୍କଠାରୁ ସେ ୧୦ ଲକ୍ଷ, ୫ ଲକ୍ଷ ଓ ୪ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ। ଟଙ୍କା ଫେରସ୍ତ ମାଗିବାରୁ ସେ ୯.୫୦ ଲକ୍ଷର ବାଉନ୍ସ ଚେକ ଦେଇଥିଲେ। ଶଙ୍କରଙ୍କ ଅଭିଯୋଗରେ ଲକ୍ଷ୍ମୀପୁର ପୋଲିସ କେସ ନଂ-୬୪/୨୫ ରୁଜୁ କରି ତଦନ୍ତ ଚଳାଇଛି। ଏହି ଘଟଣା ଦେବଗଡରେ ଚର୍ଚ୍ଚାରେ ରହିଛି।

Leave a Reply

Your email address will not be published. Required fields are marked *