ଓଟିଇଟି ବାଧ୍ୟତାମୂଳକ ନିର୍ଦ୍ଦେଶନାମା: ପ୍ରାଥମିକ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ

୨୦୧୧ ପୂର୍ବରୁ ନିଯୁକ୍ତ ସମସ୍ତ ଶିକ୍ଷକଙ୍କୁ ପଦୋନ୍ନତି ପାଇଁ ଓଟିଇଟି (ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା) ପାସ୍ କରିବା ବାଧ୍ୟତାମୂଳକ କରାଯାଇଛି। ଏପରିକି ଅବସର ନେବାକୁ ଥିବା ପ୍ରାଥମିକ ଶିକ୍ଷକମାନେ ମଧ୍ୟ ଓଟିଇଟି ସାର୍ଟିଫିକେଟ୍ ବିନା ପଦୋନ୍ନତି ପାଇବେ ନାହିଁ। ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶନାମା ଓଡ଼ିଶାର ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ନୂଆ ନିୟମ ଅନୁଯାୟୀ, ବର୍ତ୍ତମାନ ଲେଭେଲ୍-V(A)ରେ ଥିବା ଶିକ୍ଷକମାନେ ଓଟିଇଟି ପାସ୍ ସାର୍ଟିଫିକେଟ୍ ବିନା ଲେଭେଲ୍-V(B)କୁ ପଦୋନ୍ନତି ପାଇବେ ନାହିଁ। ଏହି ଘୋଷଣା ରାଜ୍ୟର ଚାକିରିରତ ଶିକ୍ଷକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଶିକ୍ଷକମାନେ ଯୁକ୍ତି ଦେଇଛନ୍ତି ଯେ, RTE ଆଇନ, ୨୦୦୯ ଅନୁଯାୟୀ NCTE (ନ୍ୟାସନାଲ କାଉନସିଲ ଫର ଟିଚର ଏଜୁକେସନ) ଦ୍ୱାରା ୨୩/୦୮/୨୦୧୦ରେ ଜାରି ବିଜ୍ଞପ୍ତିର ପାରାଗ୍ରାଫ୍ ୪ ଅନୁଯାୟୀ, ୨୦୦୧ କିମ୍ବା ତା’ପୂର୍ବରୁ ନିମ୍ନତମ ଶିକ୍ଷାଗତ ଯୋଗ୍ୟତା ସହ ନିଯୁକ୍ତ ଶିକ୍ଷକଙ୍କ ଉପରେ ଓଟିଇଟି ଲାଗୁ ହେବା ଉଚିତ ନୁହେଁ। ତଥାପି, ଓଡ଼ିଶା ସରକାର ୨୦୧୧ ପୂର୍ବରୁ ନିଯୁକ୍ତ ଶିକ୍ଷକଙ୍କୁ ଓଟିଇଟି ବିନା ପଦୋନ୍ନତି ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏହାର ପ୍ରତିବାଦରେ କେତେକ ଶିକ୍ଷକ ହାଇକୋର୍ଟରେ ମାମଲା ଦାୟର କରିଥିବା ବେଳେ ଅନ୍ୟମାନେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ଏହି ନିର୍ଦ୍ଦେଶ ଯୋଗୁଁ ସରକାରୀ ବିଦ୍ୟାଳୟ, ଅନୁଦାନପ୍ରାପ୍ତ/ଅନୁଦାନହୀନ ବିଦ୍ୟାଳୟ ଏବଂ ୨୦୧୧ ପୂର୍ବରୁ ନିମ୍ନତମ ଯୋଗ୍ୟତା ବିନା ନିଯୁକ୍ତ ପ୍ରାଥମିକ ଶିକ୍ଷକମାନେ ଓଟିଇଟି ପରୀକ୍ଷା ଦେବାକୁ ବାଧ୍ୟ ହେଉଛନ୍ତି। ଏହି ନିଷ୍ପତ୍ତିର ବିରୋଧରେ ସମ୍ପ୍ରତି ସୁବର୍ଣ୍ଣପୁର ଜିଲ୍ଲାର ସୁବର୍ଣ୍ଣମେରୁ ମନ୍ଦିରରେ ସ୍ଥାନୀୟ ଶିକ୍ଷକମାନଙ୍କର ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସରକାରଙ୍କ ନିର୍ଦ୍ଦେଶକୁ ତୀବ୍ର ବିରୋଧ କରିବାକୁ ଏକମତ ହୋଇ ନିଷ୍ପତ୍ତି ନିଆଯାଇଥିଲା। ଆଗାମୀ ୪ ଜୁନ୍‌ରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଏହି ନିର୍ଦ୍ଦେଶ ପ୍ରତ୍ୟାହାର କରିବାକୁ ଦାବି କରାଯିବ। ଯଦି ସରକାର ଶିକ୍ଷକଙ୍କ ଦାବିକୁ ଅଣଦେଖା କରନ୍ତି, ତେବେ ଆଗାମୀ ଦିନରେ ବିକଳ୍ପ ପ୍ରତିବାଦ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *