ମେ ୧୭, ୨୦୨୫, ବିଶ୍ୱ ହାଇପରଟେନସନ ଦିବସ ପାଳନ କରାଯାଉଛି। ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ଉଚ୍ଚ ରକ୍ତଚାପ (ହାଇପରଟେନସନ) ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏବଂ ଏହାର ପ୍ରତିରୋଧ, ଚିହ୍ନଟ ଓ ନିୟନ୍ତ୍ରଣ ପାଇଁ ଲୋକଙ୍କୁ ପ୍ରେରିତ କରିବା। ସମଗ୍ର ବିଶ୍ୱରେ, ବିଶେଷକରି ଘରୋଇ କ୍ଷେତ୍ରରେ କାମ କରୁଥିବା ୩୦ ବର୍ଷରୁ ଅଧିକ ବୟସ୍କ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି, ଯାହା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ପ୍ରତି ବର୍ଷ ପ୍ରାୟ ୧୬ ଲକ୍ଷ ଲୋକଙ୍କଠାରେ ଉଚ୍ଚ ରକ୍ତଚାପ ଏବଂ ୯ ଲକ୍ଷ ଲୋକଙ୍କଠାରେ ମଧୁମେହ ରୋଗ ଚିହ୍ନଟ ହେଉଛି। ଏହି ରୋଗଗୁଡ଼ିକ ଏକ “ସାଇଲେଣ୍ଟ କିଲର” ଭାବେ ପରିଚିତ, କାରଣ ଏହାର ଲକ୍ଷଣ ଅନେକ ସମୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ପଷ୍ଟ ହୋଇ ନ ଥାଏ। ବିଶେଷକରି, ଚାପପୂର୍ଣ୍ଣ ଜୀବନଶୈଳୀ, ଅନିୟମିତ ଖାଦ୍ୟପେୟ, ମାନସିକ ଚାପ, ଧୂମପାନ, ମଦ୍ୟପାନ ଏବଂ ସIରୀରିକ ନିଷ୍କ୍ରିୟତା ଏହି ରୋଗଗୁଡ଼ିକର ମୂଳ କାରଣ ହୋଇଛି।
ବିଶ୍ୱରେ ୩୦-୭୯ ବର୍ଷ ବୟସ୍କ ବର୍ଗର ୩୦% ମହିଳା ଏବଂ ୩୪% ପୁରୁଷ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ, ପ୍ରାଣାୟାମ, ଧ୍ୟାନ ଏବଂ ଧୂମପାନ ଓ ମଦ୍ୟପାନରୁ ଦୂରେଇ ରହିବା ଆବଶ୍ୟକ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ, ନମକର ବ୍ୟବହାର କମାଇବା, ନିୟମିତ ରକ୍ତଚାପ ପରୀକ୍ଷା କରିବା ଏବଂ ଶାକାହାରୀ ଖାଦ୍ୟ ଗ୍ରହଣ କରିବା ଏହି ରୋଗର ପ୍ରତିରୋଧରେ ସହାୟକ।
ଏହି ଦିବସ ଅବସରରେ, ସ୍ୱାସ୍ଥ୍ୟ ସଂସ୍ଥା ଓ ସାମାଜିକ ଗଣମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଜୋରଦାର ହୋଇଛି। ଲୋକଙ୍କୁ ସୁସ୍ଥ ଜୀବନଶୈଳୀ ଅପଣାଇବାକୁ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ପ୍ରୋତ୍ସାହିତ କରାଯାଉଛି। ବିଶେଷଜ୍ଞମାନେ ମଧ୍ୟ ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି, ଯାହା ଉଚ୍ଚ ରକ୍ତଚାପ ଓ ମଧୁମେହ ନିୟନ୍ତ୍ରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଏହି ରୋଗଗୁଡ଼ିକରୁ ମୁକ୍ତି ପାଇବା ପାଇଁ ସମାଜରେ ମିଳିତ ପ୍ରୟାସ ଓ ସଠିକ ଜୀବନଶୈଳୀ ଗ୍ରହଣ କରିବା ନିହାତି ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।