ଶୀତଳ ଷଷ୍ଠୀ’ ଯାତ୍ରା ହେବ ଆହୁରି ବ୍ୟାପକ: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧ କୋଟି ୮ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା

ସମ୍ବଲପୁରର ପ୍ରସିଦ୍ଧ ‘ଶୀତଳ ଷଷ୍ଠୀ’ ଯାତ୍ରା, ଯାହା ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏକ ଅନନ୍ୟ ପର୍ବ, ଏହାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଯାତ୍ରାର ଆୟୋଜନକୁ ଆହୁରି ବ୍ୟାପକ ଓ ଆକର୍ଷଣୀୟ କରିବା ଲାଗି ୧ କୋଟି ୮ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଘୋଷଣା କରିଛନ୍ତି। ଏହି ପାଣ୍ଠି ସମ୍ବଲପୁରର ବିଭିନ୍ନ ‘ଶୀତଳ ଷଷ୍ଠୀ’ ଯାତ୍ରା କମିଟି ଏବଂ ସମ୍ପୃକ୍ତ ଅନୁଷ୍ଠାନମାନଙ୍କୁ ପ୍ରଦାନ କରାଯିବ।

ଶୀତଳ ଷଷ୍ଠୀ’ ଯାତ୍ରା ସମ୍ବଲପୁରର ଏକ ଐତିହାସିକ ଓ ସାଂସ୍କୃତିକ ପର୍ବ, ଯାହା ଦେବ ଦମ୍ପତି ଶିବ ଓ ପାର୍ବତୀଙ୍କ ବିବାହ ଉତ୍ସବକୁ ପ୍ରତିଫଳିତ କରେ। ଏହି ପର୍ବରେ ପାରମ୍ପରିକ ନୀତିକାନ୍ତି ଅନୁଯାୟୀ ନିର୍ବନ୍ଧ, ପତର ପେଣ୍ଡି ଏବଂ ବିବାହ ଉତ୍ସବ ଭକ୍ତି ଓ ଉଲ୍ଲାସର ସହ ପାଳନ କରାଯାଏ। ଏହି ଯାତ୍ରା କେବଳ ଧାର୍ମିକ ମହତ୍ତ୍ୱ ରଖିବା ସହ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।

ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ସମ୍ବଲପୁରବାସୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ଏହି ଆର୍ଥିକ ସହାୟତା ଯାତ୍ରାର ଆୟୋଜନକୁ ଆହୁରି ଭବ୍ୟ ଓ ସୁସଂଗଠିତ କରିବାରେ ସହାୟକ ହେବ। ବିଶେଷ କରି, ବିଭିନ୍ନ ଯାତ୍ରା କମିଟି ଏବଂ ଅନୁଷ୍ଠାନ ଏହି ପାଣ୍ଠି ମାଧ୍ୟମରେ ପରମ୍ପରାଗତ ନୀତିକୁ ଅକ୍ଷୁଣ୍ଣ ରଖି ଆଧୁନିକ ସମାଜ ଅନୁସାରେ ଉତ୍ସବକୁ ଆକର୍ଷଣୀୟ କରିବେ। ଏହା ମାଧ୍ୟମରେ ସ୍ଥାନୀୟ କଳାକାର, ଶିଳ୍ପୀ ଏବଂ ସାଂସ୍କୃତିକ ସଂଗଠନମାନେ ମଧ୍ୟ ଉପକୃତ ହେବେ।

ଏହି ପଦକ୍ଷେପ ସମ୍ବଲପୁରର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ସହ ଏହାକୁ ବିଶ୍ୱସ୍ତରୀୟ ପରିଚୟ ପ୍ରଦାନ କରିବାରେ ଏକ ମାଇଲଖୁଣ୍ଟ ହେବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମକୁ ସାଧାରଣରେ ସ୍ୱାଗତ କରାଯାଇଛି ଏବଂ ଏହା ଆଗାମୀ ଶୀତଳ ଷଷ୍ଠୀ ଯାତ୍ରାକୁ ଏକ ନୂଆ ଉଚ୍ଚତା ପ୍ରଦାନ କରିବ ବୋଲି ବିଶ୍ୱାସ କରାଯାଉଛି।

Leave a Reply

Your email address will not be published. Required fields are marked *