ସମ୍ବଲପୁର : ହନୁମାନ ଜୟନ୍ତୀ ସମନ୍ଵୟ ସମିତି ପହଲଗାମ ଓ ମୁର୍ଶିଦାବାଦରେ ଘଟିଥିବା ଘଟଣାକୁ ତୀବ୍ର ନିନ୍ଦା କରିଛି। ସମିତି ଘୋଷଣା କରିଛି ଯେ ଆସନ୍ତା ୨୮ ଏପ୍ରିଲରେ ଏକ ହିନ୍ଦୁ ଆକ୍ରୋଶ ରାଲି ଆୟୋଜନ କରାଯିବ। ସମ୍ବଲପୁର ବିଧାୟକ ତଥା ସମିତିର ସଭାପତି ଜୟ ନାରାୟଣ ମିଶ୍ରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସମିତିର ସହ-ସଂଯୋଜକ ସମୀର ରଞ୍ଜନ ବାବୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନେକ କାର୍ଯ୍ୟକର୍ତ୍ତା ଭାଗ ନେଇଥିଲେ।
ବୈଠକ ଆରମ୍ଭରେ ପହଲଗାମ ଘଟଣାରେ ମୃତକଙ୍କ ଆତ୍ମାର ଶାନ୍ତି ଓ ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା। ବୈଠକରେ ନିଷ୍ପତ୍ତି ହୋଇଛି ଯେ, ୨୮ ଏପ୍ରିଲରେ ଲକ୍ଷ୍ମୀ ଟକିଜ ଛକରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହିନ୍ଦୁ ଆକ୍ରୋଶ ରାଲି ଅନୁଷ୍ଠିତ ହେବ। ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ସାଧାରଣ ସଭା ପରେ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବ।
ବୈଠକରେ ମାନସ ରଞ୍ଜନ ବକ୍ସି, ପ୍ରଭୁଦତ୍ତ ପଣ୍ଡା, ମୋହନ ପଣ୍ଡା, ଅବିନାଶ ନନ୍ଦ, ଜୟକୃଷ୍ଣ ନାଏକ, କାହ୍ନୁ ରାମ ଶର୍ମା, ଅଜିତ ବେହେରା, ଦୁବରାଜ ପାଣିଗ୍ରାହୀ, ଧରୁ ଧନୱର, ଅନୁପ ଲାଟା, ଦୀପକ ଦାସ, ସୁବ୍ରତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।