ସମ୍ବଲପୁରରେ ଆହତ ଶାଳିଆପତନିର ଉଦ୍ଧାର: ବନବିଭାଗକୁ ହସ୍ତାନ୍ତର: କେଶବଙ୍କ ପରିବାରର ସେବା ପ୍ରଶଂସନୀୟ
ସମ୍ବଲପୁର : ସମ୍ବଲପୁର ସହର ଉପକଣ୍ଠ ପରଧୂଆପାଲି ନିକଟସ୍ଥ ୧୦ ନମ୍ବର ରାଜ୍ୟ ରାଜପଥରୁ ଏକ ଆହତ ଶାଳିଆପତନିକୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ପଶୁପ୍ରେମୀ କେଶବ ଏହି ବିରଳ ପ୍ରାଣୀଟିକୁ ନିଜ ଘରେ ଆଶ୍ରୟ ଦେଇ ସେବା କରିଛନْତି। ତାଙ୍କ ସ୍ତ୍ରୀ ତୃପ୍ତି ମିଶ୍ର ଓ ଭାଇ ରାଜେଶ ମେହେର ମଧ୍ୟ ଏହି ଉଦ୍ଧାର ଓ ସେବା କାର୍ଯ୍ୟରେ ସହଯୋଗ କରିଛନ୍ତି।
ଗତ ରାତିରେ ଶାଳିଆପତନିଟି ରାଜପଥ ଅତିକ୍ରମ କରୁଥିବା ବେଳେ ଏକ ଦ୍ରୁତଗାମୀ ଯାନର ଚାପାରେ ଆହତ ହୋଇଥିଲା। କେଶବ ଏହା ଦେଖି ତୁରନ୍ତ ପ୍ରାଣୀଟିକୁ ଉଦ୍ଧାର କରି ନିଜ ଘରକୁ ଆଣି ପ୍ରାଥମିକ ଚିକିତ୍ସା ସହ ଖାଦ୍ୟ ଓ ପାଣି ଯୋଗାଇ ଦେଇଥିଲେ। ତାଙ୍କ ସ୍ତ୍ରୀ ତୃପ୍ତି ଓ ଭାଇ ରାଜେଶ ମଧ୍ୟ ଏହି କାର୍ଯ୍ୟରେ ସକ୍ରିୟ ଭାଗ ନେଇଥିଲେ।
ଆଜି ସକାଳେ ଶାଳିଆପତନିର ଅବସ୍ଥା ସ୍ଥିର ହେବା ପରେ, କେଶବ ସମ୍ବଲପୁର ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ)ଙ୍କ ସହ ଯୋଗାଯୋଗ କରି ବନବିଭାଗକୁ ପ୍ରାଣୀଟିକୁ ହସ୍ତାନ୍ତର କରିଛନ୍ତି। ବନବିଭାଗ ଶାଳିଆପତନିକୁ ସଂଗରୋଧରେ ରଖି ଆବଶ୍ୟକ ଚିକିତ୍ସା ଆରମ୍ଭ କରିଛି। ଏହାସହ, ପ୍ରିନ୍ସିପାଲ ଚିଫ କଞ୍ଜରଭେଟର ଅଫ ଫରେଷ୍ଟ (ପିସିସିଏଫ)ଙ୍କୁ ଘଟଣା ସମ୍ପର୍କରେ ଜଣାଇଛି।
ଡିଏଫଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି, “ପିସିସିଏଫଙ୍କ ଅନୁମୋଦନ ପରେ ଏହି ସିଡ୍ୟୁଲ-୧ ପ୍ରଜାତିର ବିରଳ ଶାଳିଆପତନିକୁ ହୀରାକୁଦ ବନ୍ୟପ୍ରାଣୀ ବିଭାଗ ମାଧ୍ୟମରେ ସମ୍ବଲପୁର ଚିଡ଼ିଆଖାନାକୁ ସ୍ଥାନାନ୍ତର କରାଯିବ।” କେଶବ, ତୃପ୍ତି ଓ ରାଜେଶଙ୍କ ଏହି ମାନବିକ ଉଦ୍ୟମ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ସାଉଁଟିଛି।
