ସମ୍ବଲପୁର, ୩ ଜୁନ ୨୦୨୫: ସମ୍ବଲପୁରକୁ ଆଧୁନିକ ଓ ପରିକଳ୍ପିତ ସହର ଭାବେ ରୂପାନ୍ତରିତ କରିବା ଲକ୍ଷ୍ୟରେ ସମ୍ବଲପୁର ମହାନଗର ନିଗମ (ଏସଏମସି) ଦିଲ୍ଲୀସ୍ଥିତ ‘ସ୍କୁଲ୍ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚର୍’ (ଏସପିଏ) ସହ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଗଦର୍ଶନରେ ହୋଇଥିବା ଏହି ଚୁକ୍ତି ମାଧ୍ୟମରେ ସମ୍ବଲପୁରକୁ ଉନ୍ନତ ଭିତ୍ତିଭୂମି, ଐତିହ୍ୟ ସଂରକ୍ଷଣ ଓ ଦୀର୍ଘସ୍ଥାୟୀ ବିକାଶ ସହିତ ଏକ ମଡେଲ୍ ସହର ଭାବେ ଗଢ଼ି ତୋଳିବାକୁ ଏସପିଏର ବୈଷୟିକ ଦକ୍ଷତା ବ୍ୟବହାର କରାଯିବ।
ଚୁକ୍ତିନାମା ଅନୁଯାୟୀ, ଏସପିଏ ସମ୍ବଲପୁରର ସାମଗ୍ରିକ ସହରାଞ୍ଚଳ ବିକାଶ ପାଇଁ ବୈଷୟିକ ଓ ଶୈକ୍ଷିକ ସହାୟତା ପ୍ରଦାନ କରିବ। ଏହା ମଧ୍ୟରେ ଏକ ଦୃଢ଼ ମାଷ୍ଟର ପ୍ଲାନ ପ୍ରସ୍ତୁତି, ଭିତ୍ତିଭୂମି ଉନ୍ନୟନ, ସମ୍ବଲପୁରର ସାଂସ୍କୃତିକ ଓ ଐତିହାସିକ ଐତିହ୍ୟର ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ବିକାଶ ଯୋଜନା ପ୍ରସ୍ତୁତି ଅନ୍ତର୍ଭୁକ୍ତ। ଉଭୟ ସଂସ୍ଥା ମିଳିତ ଭାବେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ, କ୍ଷେତ୍ର ଅଧ୍ୟୟନ, କର୍ମଶାଳା ଏବଂ ସମ୍ବଲପୁରର ଭୌଗୋଳିକ ଓ ସାଂସ୍କୃତିକ ବୈଶିଷ୍ଟ୍ୟକୁ ଆଧାର କରି ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବ।
ସମ୍ବଲପୁର ଜିଲାପାଳ ତଥା ଏସଏମସି ପ୍ରଶାସକ ଏସ.ବି. ବୋନ୍ଦର କହିଛନ୍ତି, “ଭାରତର ଏକ ପ୍ରମୁଖ ଆର୍କିଟେକ୍ଚର ସଂସ୍ଥା ସହ ଏହି ସହଯୋଗିତା ସମ୍ବଲପୁରକୁ ଏକ ସ୍ଥିତିସ୍ଥାପକ ଓ ସମାବେଶୀ ସହର ଭାବେ ଗଢ଼ିବାରେ ମାର୍ଗଦର୍ଶନ କରିବ।” ଏସଏମସି କମିଶନର ବେଦଭୂଷଣ ଏହାକୁ ସମ୍ବଲପୁରର ସହରୀ ଭବିଷ୍ୟତ ପାଇଁ “ନୂଆ ଅଧ୍ୟାୟ” ବୋଲି ବର୍ଣ୍ଣନା କରିଛନ୍ତି। ଏହି ଉଦ୍ୟମ ଆଧୁନିକ ସହରୀ ଚ୍ୟାଲେଞ୍ଜ ମୁକାବିଲା କରିବା ସହ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରି ସମ୍ବଲପୁରକୁ ଏକ ପରିକଳ୍ପିତ, ଭବିଷ୍ୟତମୁଖୀ ସହର ଭାବେ ପ୍ରତିଷ୍ଠିତ କରିବ।