ବଲାଙ୍ଗୀରରେ ସାମ୍ବାଦିକଙ୍କୁ ନିର୍ମମ ଆକ୍ରମଣ: ୨ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ବଲାଙ୍ଗୀର ଜିଲ୍ଲାର ପୁଇଁତଳା ଥାନା ଅଧୀନ କୁଲଥିପାଲି ଗାଁରେ ଗତ ଶୁକ୍ରବାର ଏକ ଅତ୍ୟନ୍ତ ନିନ୍ଦନୀୟ ଘଟଣାରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ପ୍ରଧାନଙ୍କୁ ହାତଗୋଡ଼ ବାନ୍ଧି ନିର୍ମମ ଆକ୍ରମଣ କରାଯାଇଥିଲା। ଖବର ସଂଗ୍ରହ କରିବାକୁ ଗାଁକୁ ଯାଇଥିବା ବିଜୟଙ୍କୁ ଠିକାଦାର ଗଜେନ୍ଦ୍ର ଦଳାଇ ଓ ତାଙ୍କ ସହଯୋଗୀମାନେ କାବୁ କରି ହାତଗୋଡ଼ ବାନ୍ଧି ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ନିସ୍ତୁକ ମାଡ଼ ମାରିଥିଲେ। ଏହି ଘଟଣା ସମୟରେ ଗ୍ରାମବାସୀମାନେ ଦେଖଣାହାରୀ ସାଜି ରହିଥିଲେ। ଅଭିଯୁକ୍ତମାନେ ବିଜୟଙ୍କୁ ଏକ ମନ୍ଦିରରେ ଶପଥ କରାଇ ଘଟଣା ସମ୍ପର୍କରେ କାହାକୁ ନ କହିବାକୁ ଚେତାବନୀ ଦେଇଥିଲେ। ତଥାପି, ବିଜୟ କୌଣସି ମତେ ସେଠାରୁ ଖସି ଆସି ପୁଇଁତଳା ଥାନାରେ ଅଭିଯୋଗ ଦାଖଲ କରିଥିଲେ।

ପୁଲିସ ତଦନ୍ତ ଆରମ୍ଭ କରି ପ୍ରଥମେ ଦୁଇ ଅଭିଯୁକ୍ତ ଅବିନାଶ ଦଳାଇ ଓ ଆଦିତ୍ୟ ଜେନାଙ୍କୁ ଗିରଫ କରିଥିଲା। ପରେ ଭୋର ସମୟରେ ଆଉ ଦୁଇ ଜଣ, ଗୁମର ନାୟକ ଓ ଜଣେ ନାବାଳକଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ତଥା ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଗଜେନ୍ଦ୍ର ଦଳାଇ ଓ ତାଙ୍କ ପୁତୁରା ଏବେ ମଧ୍ୟ ଫେରାର ଅଛନ୍ତି। ଗଜେନ୍ଦ୍ର ଜଣେ ବିଜେଡି ନେତା ତଥା ଠିକାଦାର ଭାବେ ପରିଚିତ, ଏବଂ ତାଙ୍କର ଏକ ଫୋଟୋ ଗତ ବିଧାନସଭା ନିର୍ବାଚନରେ ଲୋଇସିଂହା ବିଜେଡି ପ୍ରାର୍ଥୀ ନିହାର ରଞ୍ଜନ ବେହେରାଙ୍କ ସହ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ତାଙ୍କ ରାଜନୈତିକ ସମ୍ପର୍କ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ପୁଇଁତଳା ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ଏବଂ ଫେରାର ଅଭିଯୁକ୍ତମାନଙ୍କୁ ଖୋଜିବା ପାଇଁ ଉଦ୍ୟମ ଚଳାଇଛି। ଏହି ଘଟଣା ସାମ୍ବାଦିକ ସମାଜରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି, ଏବଂ ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି। ଏହା ସାମ୍ବାଦିକମାନଙ୍କ ସୁରକ୍ଷା ଓ ପ୍ରେସ ସ୍ବାଧୀନତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

Leave a Reply

Your email address will not be published. Required fields are marked *